ଭାସିଲା ପାକିସ୍ତାନ ; ଲଗାତାର ବର୍ଷା ଯୋଗୁଁ ଗଲାଣି ୨୦୦ ଅଧିକ ଜୀବନ, ୫୬୦ ଆହତ

Published By : Prameya-News7 Bureau | July 20, 2025 IST

ନୂଆଦିଲ୍ଲୀ ୨୦।୦୭; ଭୀଷଣ ବର୍ଷା ଆଣିଲା ବନ୍ୟା । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ରାସ୍ତାରେ ଅଣ୍ଟାଏ ପାଣି । ଉବୁଟୁବୁ ହୋଇଛି ପାକିସ୍ତାନ । ଭୁଶୁଡିଛି ଘର, ବୁଡିଛି ଗାଡି ମୋଟ । ପାକିସ୍ତାନରେ ବନ୍ୟା ସ୍ଥିତିରେ ଜନଜୀବନ ହନ୍ତସନ୍ତ । ପାକିସ୍ତାନରେ ଏହି ବର୍ଷା ପ୍ରବଳ କ୍ଷୟକ୍ଷତି ଘଟାଇଛି। ଚଳିତବର୍ଷ ପାକିସ୍ତାନରେ ମୌସୁମୀଜନିତ ମୃତ୍ୟୁସଂଖ୍ୟା ୨୦୦ରୁ ଅଧିକରେ ପହଞ୍ଚିଛି । ଯେଉଁଥିରେ ୧୦୦ ଜଣ ଶିଶୁ ମଧ୍ୟ ଅଛନ୍ତି। ସେପଟେ ୫୬୦ ଜଣ ଆହତ ହୋଇଛନ୍ତି। ଶନିବାର ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA)କୁ ଉଦ୍ଧୃତ କରି ଏହି ସୂଚନା ଦେଇଛି।

ପଞ୍ଜାବ ଜରୁରୀକାଳୀନ ସେବା ଅନୁଯାୟୀ, ପଞ୍ଜାବରେ ୧୨୩ ଜଣ, ଖାଇବର ପଖତୁନଖ୍ୱାରେ ୪୦ ଜଣ ଏବଂ ସିନ୍ଧରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଘର ଭୁଶୁଡ଼ି ପଡ଼ିବା ଏବଂ ବନ୍ୟା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ରାୱଲପିଣ୍ଡି ଏବଂ ଫୈସଲାବାଦରେ ମଧ୍ୟ ପ୍ରବଳ କ୍ଷତି ହୋଇଛି। କେବଳ ପଞ୍ଜାବ ପ୍ରଦେଶରେ ଗତ ତିନି ସପ୍ତାହ ମଧ୍ୟରେ ବର୍ଷାଜନିତ ଘଟଣାରେ ମହିଳା ଏବଂ ଶିଶୁ ସମେତ ଅତି କମରେ ୧୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୫୦ ଜଣ ଆହତ ହୋଇଛନ୍ତି।

ଦେଶର ଅନ୍ୟାନ୍ୟ ଅଞ୍ଚଳରୁ ୬୦ ଜଣଙ୍କର ମୃତ୍ୟୁ 

'ରେସ୍କ୍ୟୁ ୧୧୨୨'ର ମୁଖ୍ୟ କହିଛନ୍ତି ଯେ ପଞ୍ଜାବରେ ପ୍ରବଳ ବର୍ଷା ଯୋଗୁଁ ୩୬୯ କୋଠା ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ସେ କହିଛନ୍ତି ଗତ କିଛି ଦିନ ପୂର୍ବରୁ ଯେ୧୨୦ ଜଣଙ୍କ ମଧ୍ୟରୁ ୮୧ ଜଣଙ୍କର ଘର କିମ୍ବା ଛାତ ଭୁଶୁଡ଼ି ପଡ଼ିବା ଯୋଗୁଁ ମୃତ୍ୟୁ ହୋଇଛି ଏବଂ ୧୧ ଜଣଙ୍କର ମୃତ୍ୟୁ ବିଦ୍ୟୁତ ଆଘାତ ଯୋଗୁଁ ହୋଇଛି। ପ୍ରାଦେଶିକ ରାଜଧାନୀ ଲାହୋରରେ ସର୍ବାଧିକ ୨୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଫୈସଲାବାଦରେ ୧୫, ଶେଖପୁରାରେ ୧୧ ଏବଂ ରାୱଲପିଣ୍ଡିରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର ସହର ମଙ୍ଗଳାରେ ଝେଲମ୍ ନଦୀ ପାଇଁ ବନ୍ୟା ସତର୍କତା ଜାରି କରାଯାଇଛି । ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.